Unknown

 

 

 

 

 

 

 

 

 

 

ଗୋପାଳକୃଷ୍ଣଙ୍କ ଚଉତିଶା

ଗୋପାଳକୃଷ୍ଣ ପଟ୍ଟନାୟକ

 

ଅନୁସରିତ ପ୍ରଭୁ

 

 

କଣ ବିତରଣ କଲେ କେତେ ଉଣା

ହୁଅନ୍ତା କରୁଣା ସରିତ ॥ପଦ॥

 

ଅଶରଣ-ଜନ-ବନ୍ଧୁ ପଣ ଯଶ ସଂସାରେ ହୋଇଛ ଉଦିତ ।

ପଥର ହୋଇ ପଥରେ ପଡ଼ିଥିଲା ଅହଲ୍ୟାକୁ ଦେଲ ତାରିତ ।୧।

 

ପାଞ୍ଚିଳୀକି ଦୁଃଶାସନ ଘଞ୍ଚାଳିଲା ବଞ୍ଚାଇଲ ବାସ ଦେଇତ ।

ଘୁଞ୍ଚାଇଲ ନାହିଁ ମୋ ଛାର କଦନ ପୋଛାଇଲ ନେତ୍ରୁ ବାରି ତ ।୨।

 

କାହିଁ ଥିଲା ଚକ୍ର କାହିଁ ଥିଲା ନକ୍ର ପଲକ ପତନ ନୋହୁ ତ ।

ଛିଡ଼ିଗଲା ମଥା ରହିଗଲା କଥା ଡାକିଲା ମାତ୍ର କରୀ ତ ।୩।

 

କାଳକିଙ୍କର ଭୟରେ ଅଜାମିଳ ପୁତ୍ରୋପଚାରରେ ଡାକି ତ ।

ପରମ ପଦ ପାଇଲା ଆପଣଙ୍କ ନାମ ମହିମା ଏପରି ତ ।୪।

 

ନିରୁପାଧି କୃପାକର ବୋଲି ବିଧି ଭବାଦିରେ ଆଉ କଥିତ ।

ମୁଁ କଲା ଦୋଷ କି ନାଶିଛ କି ବକୀ ପିଆଉଁ ତା ଦୁରିତ ।୫।

 

ଗୋପାଳକୃଷ୍ଣ କହେ ଜଗନ୍ମଙ୍ଗଳ ଯାହା କରିବ ତୁମ୍ଭ ଚିତ୍ତ ।

ଆପଣା କୃପାଳୁପଣକୁ ବଳି ମୋ ଦୁଷ୍କୃତ ନୁହଇ ଭାରି ତ ।୬।

 

ଜଳଦ ଚଉତିଶା

(ରାଗ - କଲ୍ୟାଣୀ ଆହାର)

 

(ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି ଗୋପାଳକୃଷ୍ଣ ପଟ୍ଟନାୟକ । ବୈଷ୍ଣବମାନେ ତାଙ୍କୁ ମହାତ୍ମା ଭାବେ ଗ୍ରହଣ କରିଥାନ୍ତି । କବିସୂର୍ଯ୍ୟ ବଳଦେବ ରଥଙ୍କର ସେ ସମସାମୟିକ କବି । ଶହ ଶହ ଭଜନ, ଜଣାଣ, କୀର୍ତ୍ତନ, ପ୍ରାର୍ଥନା, ମନଃଶିକ୍ଷା, ଦୋଳିଗୀତ ପ୍ରଭୃତି ତାଙ୍କର ଅପୂର୍ବ ସୃଷ୍ଟି ସମ୍ଭାର । ଗୀତିମୟତା, ସାଙ୍ଗୀତିକତା ତାଙ୍କ କବିତା, ଗୀତଗୁଡ଼ିକୁ ମାଧୁର୍ଯ୍ୟ ମଣ୍ଡିତ କରିଛି । ଚଉପଦୀ ପରି କବିଙ୍କର ଚଉତିଶା ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଛି । ଏ ସବୁରେ ସୌନ୍ଦର୍ଯ୍ୟମୟତା, କୋମଳତା ତଥା ମାଧୁର୍ଯ୍ୟ ଦେଖିବାକୁ ମିଳିଥାଏ । ଜଳଦ ଚଉତିଶା’ରେ ନାୟକ-ନାୟିକାର ବିଛେଦ-ବିରହଜନିତ ଯନ୍ତ୍ରଣା ସୁନ୍ଦର ଭାବେ ଫୁଟି ଉଠିଛି । ସରଳ, ସୁନ୍ଦର ଶବ୍ଦ ସଂଯୋଜନାରେ ଶ୍ରୀମଣ୍ଡିତ ହୋଇଛି ।)

 

କେଉଁ ପଥିକ ନଗରେ ବଳାହକ

ଦେଖିଣ କରଇ ବିଚାର

ଖେଦେ ସେହି ନବ ବାଳା ମୋର

ନାମ କରୁଥିବ କି ଉଚ୍ଚାର

ଜଳଦ, ଗୁପତ ପ୍ରୀତି ଖ୍ୟାତି ହେଲା,

ଘଟାଇ ଧାତା ଏ ଦଣ୍ଡ ଦେବ

ବୋଲି କେତେଦିନରୁ ପାଞ୍ଚିଥିଲା ।୧।

 

ନଖ କାଞ୍ଚୁଲା ସହିତେ ସ୍ତନେ

କ୍ଷତ କଲେ ଯେ କରଇ ଦର ଯେ

ଚକୋର ଈକ୍ଷଣି କି କରି

ସହିଛି ନିଷ୍ଠୁର ମଦନ ଶର ଯେ

ଜଳଦ, ଛାର ଜୀବ କିମ୍ପା ରହିଛି,

ଯେବେ ଯିବି ଏଥୁ ଆଉ କି

ତା ମୁଖ ଦେଖିବା ଭରସା ଦିଶୁଛି ।୨।

 

ଝୀନ ବସନ ପଦୁଁ ଶିର ପର୍ଯ୍ୟନ୍ତେ

ଆଚ୍ଛାଦି ଥାଇ ଶୟନରେ

ନିଦ ନ ଥାଇ ମିଛେ ବୁଜି

ନୟନ ହସୁଥାଇ ଚିତ୍ତ ଭିତରେ

ଜଳଦ, ଟାହି ନ ଜାଣି ମୁଁ ଡାକନ୍ତେ

ଠଣମୁଖୀ ଶୀଘ୍ରେ ଉଠି ମୋ

ଲପନ ବୁଜାଇ ଧଇଲା ପଣନ୍ତେ ।୩।

 

ଭାବାର୍ଥ - (୧-୩) ବିଦେଶରେ ରହୁଥିବା କେଉଁ ଏକ ପଥିକ ମେଘକୁ ଚାହିଁ ତା’ ପ୍ରିୟାକୁ ଝୁରୁଛି ଓ ମନରେ ବିଚାର କରୁଛି- ଦୁଃଖରେ ମୋର ସେଇ ନବବାଳା ମୋତେ ଝୁରୁଛି କି-? ରେ ଜଳଦ, ଗୁପ୍ତ ପ୍ରୀତି ଚାରିଆଡ଼େ ବ୍ୟାପିଲା । ବୋଧ ହୁଏ, ବିଧାତା ଏମିତି ଘଟାଇ ମୋତେ ଦଣ୍ଡ ଦେବା ପାଇଁ ବିଚାର କରିଥିଲା ।

 

ନଖଦ୍ଵାରା କାଞ୍ଚୁଲା ସହିତ ତା’ ବକ୍ଷୋଜରେ କ୍ଷତ ଚିହ୍ନ କଲେ ସେ ଭୟରେ ଆକୁଳ ହୋଇପଡ଼େ । ସେ ଏବେ ନିଷ୍ଠୁର କାମ ଦେବର ଶରର ଯନ୍ତ୍ରଣାକୁ ସହିଥିବ । ରେ ଜଳଦ, ଏ ଛାର ଜୀବନ କାହିଁକି ରହିଛି କେଜାଣି ? ଏହିଠାରୁ ଯେତେବେଳେ ଯିବି, ତା’ ମୁଖକୁ ଦେଖିବା ଭରସା ଦିଶୁନାହିଁ ।

 

ଶେଯରେ ଶୋଇ ରହିଥିବ । ତା’ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଝୀନବସନ ଘୋଡ଼ାଇ ହୋଇଥିବ । ମୋତେ ଝୁରି ଝୁରି ତାକୁ ନିଦ ହେବ ନାହିଁ । ଆଖି ମୁଦି ମନ ମଧ୍ୟରେ ଉଲ୍ଲାସ ହେଉଥିବ । ରେ ଜଳଦ, ମୁଁ ତାକୁ ଡାକିବାରୁ, ସେ ଚନ୍ଦ୍ରମୁଖୀ ଶୀଘ୍ର ଉଠି ମୋ ମୁଖକୁ ତା’ ପଣତ କାନିରେ ବୁଜି ଧରିଲା ।

 

ଡେରି ଦେଇଥାଏ ଶୁକ ପଞ୍ଜରୀକି

ମୋତେ ଚାହିଁବାର ମାର୍ଗରେ

ଢାଳେ ଏହିକ୍ଷଣି ପଢ଼ ବୋଲି

ଗିର ଚୁମ୍ବୁଥାଇ ମୋହ ଛଳରେ

ଜଳଦଳ, ଅନାଇଁ ମଥା ପୋତିବାର,

ତରଳି ଯିବେ ଚାହିଁଲେ ଜିତେନ୍ଦ୍ରିୟ

ମନୁଷ୍ୟ କେତେକ ମାତର ।୪।

 

ଥରେ ମୋ ପରି ରତିରେ ସେ

ଭିତ୍ତିରେ ଚାହିଁଲା ତା ଛବି ଛଇକି

ଦନ୍ତଗତି କେକଡ଼େ ଝଟତିରେ

କରି ଭାଜିଲା ମୋ ନେତ୍ର ଦୁଇକି

ଜଳଦ, ଧନ୍ଦି ହୋଇ ଦୀପ ନାଶକୁ,

ନ ପାରଇ ବୋଲଇ ପୁଣି ସେ

ଛଇଲି ଢଳି ପଡ଼ୁଥାଇ ହୃଦକୁ ।୫।

 

ପୂର୍ଣ୍ଣଚନ୍ଦ୍ର ମୁହିଁ ରତି ସଜ ହୋଇ

ଆଳୀକି ଡାକି ଦେହଳୀକି

ଫଳ ହୃଦବାସେ ଲୁଚାଇ ଧରିଣ

ବୋଇଲେ ଏକାନ୍ତେ ଦେବୁ କି

ଜଳଦ, ବିନୟ ତାକୁ କେତେ ହୋଇ,

ଭରମ ଅଙ୍ଗୀ ସେ ଅଙ୍ଗୀକାର

କଲେ ଦେଇ ପଥକୁ ଚାହୁଁଥାଇ ।୬।

 

ଭାବାର୍ଥ - (୪-୬) ମୋତେ ଚାହିଁବାର ମାର୍ଗରେ ସେ ଶୁଆପଞ୍ଜରୀକି ଡେରି ଦେଇଥାଏ । ତାକୁ ମୋ ଛଳରେ ଚୁମ୍ବନ ଦେଉଥାଏ । ରେ ଜଳଦ, ମୁଁ ତାକୁ ଚାହିଁଥିଲେ ମଥା ପୋତିଦିଏ । ତାର ଚାହାଁଣିରେ ମୁନି ଋଷିମାନେ ଟଳିଯିବେ । ମୁଁ ତ ଛାର ମନୁଷ୍ୟ ।

 

ଥରେ ମୋ ସହିତ ରତିକ୍ରୀଡ଼ାରେ ମାତିଲା । ତା ପରେ ସେ ତା’ ଛବିକୁ ଚାହିଁଲା । ମୋ ଦୁଇ ନେତ୍ର ତା’ରିଠାରେ ଅଟକିଗଲା । ରେ ଜଳଦ, ଅନ୍ଧାରରେ ମୋ ଛାତିକୁ ସେ ଛଇଲି ଢଳି ପଡୁଥିଲା ।

 

ସେ ପୂର୍ଣ୍ଣଚନ୍ଦ୍ର ମୁହିଁ ରତି ସଜ ହୋଇ ଆସିବାକୁ ଦ୍ଵାରବନ୍ଧ ନିକଟରୁ ଡାକେ । ଏକାନ୍ତରେ ଆସିବାକୁ କହେ । ରେ ଜଳଦ, ତାକୁ କେତେ ପ୍ରକାର ବିନୟ ହୋଇ କହେ । ସେଇ ଭରମ ଅଙ୍ଗୀ ମୋ କଥାରେ ରାଜି ହୋଇଗଲେ ମୁଁ ତା’ ଆସିବା ପଥକୁ ଚାହିଁଥାଏ ।

 

ମୁରୁଛିବା ଥାଉ ମୁହୂର୍ତ୍ତେ ଯେବେ

ସେ ନ ଦେଖଇ ମୋର ମୁଖକୁ

ଯତନେ କେତକୀଦଳେ ଲେଖିଥାଇ

ସେ ଘଡ଼ିର ଯେତେ ଦୁଃଖକୁ

ଜଳଦ, ରତ୍ୟନ୍ତେ ମୋ କରେ ତା ଦେଇ,

ଲପନ ଅଳପ ନୁଆଇଁ ମୋ

ବନ୍ଧୁ ନଖରେ ନଖ ଘଷୁଥାଇ ।୭।

 

ବିଳରୁ ଯେସନ ବାହାର ହୁଅଇ

ଜାଙ୍ଗଳିକ ଗିରେ ଫଣୀ ଯେ

ସେପରି ଉଭା ହୋଇଥାଇ ଚତ୍ୱରେ

ଦୂରୁ ଶୁଣି ମୋର ବାଣୀ ଯେ

ଜଳଦ, ସେ ଭଙ୍ଗା ନୟନେ ପୂରିଛି,

ସମୀପ ମୁଁ ହେଲେ ସେ ବୋଲେ କେ

ତେଣେ ଥିବପରା ଦେଖିଆସୁଛି ।୮।

 

ହାତ ଧରି କହୁଥାଇ ନୋହିବାକୁ

ସେ ନିତିକି ନିତିକି

ହଜାଇ ଦେଲି ମୋହର ଇଚ୍ଛାରେ

ମୁଁ ସୁଦିବ୍ୟ ହେବ ପିତୁଳିକି

ଜଳଦ, କ୍ଷୀଣୋଦରୀ କ୍ଷିତିଭୂଷାକୁ,

କ୍ଷେମେ କହଇ ଗୋପାଳକୃଷ୍ଣ

ଆଉ କି ଆଶା ଅଛି ଦେଖିବାକୁ ।୯।

 

ଭାବାର୍ଥ - (୭-୯) ମୋ ମୁଖକୁ ମୁହୂର୍ତ୍ତେ ମଧ୍ୟ ସେ ଯଦି ନ ଦେଖିଲା, ତେବେ ସେ ଗଭୀର ଦୁଃଖରେ ଭାଙ୍ଗିପଡ଼େ । ରେ ଜଳଦ, ରତି ଶେଷରେ ମୋ ହାତରେ ହାତ ଦିଏ । ମୋ ପ୍ରିୟା ମୁଖକୁ ଅଳ୍ପ ନୁଆଁଇ ଅର୍ଥାତ୍ ମୁଖ ତଳକୁ କରି ନଖକୁ ନଖରେ ଘଷୁଥାଏ ।

 

କେଳାର ମନ୍ତ୍ରରେ ଯେମିତି ସାପ ବିଳ ମଧ୍ୟରୁ ବାହାରି ପଡ଼ିଥାଏ, ସେମିତି ଦୂରରୁ ମୋ କଥା ଶୁଣି ସେ ବାଳା ଅଗଣା ମଧ୍ୟକୁ ଚାଲି ଆସିବ । ରେ ଜଳଦ, ତା’ର ଚକ୍ଷୁରେ ଆକର୍ଷଣ ଭାବ ପୂରି ରହିଛି । ମୁଁ ଯେତେବେଳେ ତା’ ପାଖକୁ ଯାଏ, ସେ ତରତର ହୋଇ କହି ପକାଏ, କିଏ କେଉଁଠାରେ ଥିବପରା, ଦେଖି ଆସୁଛି ।

 

ସେ ହାତ ଧରି ସର୍ବଦା ନିତି ନିତି ଏହିଭଳି ନ ହେବା ପାଇଁ କହେ । ମୋର ଇଚ୍ଛାରେ ମୋର ଉତ୍ତମ ଦିବ୍ୟ ପିତୁଳିକୁ ହଜାଇ ଦେଲି । ରେ ଜଳଦ, ମୋର ସେଇ କ୍ଷୀଣୋଦରୀ, କ୍ଷିତିଭୂଷାକୁ ଆଉ କ’ଣ ସତରେ ଦେଖିପାରିବି ? ସେ ଆଶା ମୋର ଆଉ କ’ଣ ଅଛି ? କବି ଗୋପାଳକୃଷ୍ଣ ଏ କଥା କହିଲେ ।

 

ଜାଈଫୁଲ ଚଉତିଶା

 

(କବି ଗୋପାଳକୃଷ୍ଣ- 'କବି କଳହଂସ ଓ ବସନ୍ତ କୋକିଳ’ । ତାଙ୍କ ରଚନାବଳୀ ଓଡ଼ିଆ ସାହିତ୍ୟ ଭଣ୍ଡାରର ଅମୂଲ୍ୟ ରତ୍ନ । ଅସଂଖ୍ୟ ଗୀତ, ଚଉତିଶା, । ଚଉପଦୀ ରହିଛି ତାଙ୍କର । ‘ଜାଈଫୁଲ ଚଉତିଶା’ କବିଙ୍କର ଏକ ଅନବଦ୍ୟ ସୃଷ୍ଟି । ନାୟକ-ନାୟିକାର ବିରହଜନିତ ବେଦନା ଉକ୍ତ ଚଉତିଶାଟିରେ ସୁନ୍ଦର ଭାବେ ଫୁଟି ଉଠିଛି । ସୁନ୍ଦର, ସରଳ ଭାଷା । ଏହା ଗ୍ରାମ୍ୟରସ ଭାବେ ଗୃହୀତ ।)

 

କେଉଁ ଚିର ପରାବାସୀ

କରଇ ଚିନ୍ତା ଏକା ହୋଇ ମୋ

ବନ୍ଧୁ କି ବିଚାରୁଥିବ ବସି ।୧।

 

ଖଳ ଦଇବ କି ନ କଲା

ଖଣ୍ଡପରଶୁପର ହାତେ ମୋ

ବନ୍ଧୁ କେଡ଼େ ଦଣ୍ଡ ପଡ଼ିଗଲା ।୨।

 

ଗୁଣନିଧି ରୂପବତୀ

ଗ୍ରୀବା ଲୁଆଁ ମୃଦୁ ବଚନ ସୁମରି

ଫାଟି ଯାଉନାହିଁ ଛାତି ।୩।

 

 

ଘଡ଼ିଏ ହେଳା ଅନ୍ତର

ଘନକେଶୀ ପେଶି ଦାସୀକି

ସନ୍ତତେ ବୁଝୁଥାଇ ମୋ ଖବର ।୪।

 

ନେତ୍ରେ ନାଚୁଛି ମୋହର

ନବୀନା ଅଜାଗେ ମୋତେ

ଚାହିଁ ଲାଜେ ହସି ଅପସରିବାରେ ।୫।

 

ଚାରୁ ଚାମୀକର ଅଙ୍ଗୀ

ଚିତ୍ତରୁ ଯାଉ ନାହିଁ ସାଜି କବରୀ

ମୋତେ ଦେଖାଇବା ଭଙ୍ଗୀ ।୬।

 

ଛଇଲା ସ୍ନେହ ତୋହର

ଛାଡ଼ୁ ନାହିଁ ସୁତରାନ୍ତେ ମୋତେ

ହୃଦେ ଧରି ଧୀରେ ବିଞ୍ଚିବାର ।୭।

 

ଯିବାବେଳେ ଆସେ ପାଶେ

ଜବାଧାରୀ ଲୋଭେ ଲେଉଟି

ପଛକୁ ମୋତେ ଚାହିଁବାର ଦିଶେ ।୮।

 

 

ଝସନେତ୍ରୀ ଯା ଦିଶଇ

ଝଲକିଲା ପରି କୁଚରୁ ଅମୃତ

ଝାଳ ଯାଉଯାଇ ବହି ।୯।

 

ନିଦ୍ରା ମୁଁ ଯିବାର ଚାହିଁ

ନିଟିଳ ତିଳକ ମୋ ଭାଲେ

ଲଗାଇ ଚୁମ୍ବୁଥାଉ ରହି ରହି ।୧୦।

 

ଟେକ ଉରଜା ଗୁମାନେ

ଟାହି କରି ବସିଥାଉ ଚାହିଁ ମୋତେ

ମିଶିଯାଉ ଅପଘନେ ।୧୧।

 

ଭାବାର୍ଥ - (୧-୧୧) କେଉଁ ଜଣେ ଚିର ପରବାସୀ ଏକାକୀ ବସି ଚିନ୍ତା କରୁଛି- ମୋ ବନ୍ଧୁ ବସି କ’ଣ ବିଚାର କରୁଥିବ ? ଖଳ ଦଇବ କ’ଣ ନ କଲା ? ଖଣ୍ଡପରଶୁ ଦ୍ୱାରା ମୋ ବନ୍ଧୁ କେତେ ଦଣ୍ଡ ନ ପାଇଲା ? ଗୁଣନିଧି, ରୂପବତୀର କୋମଳ କଥା ସ୍ମରଣ କରି କାହିଁକି ମୋ ଛାତି ଫାଟି ଯାଉନାହିଁ ? ତା’ ପାଖରୁ ଘଡ଼ିଏ ଅନ୍ତର ହେଲେ ଘନକେଶୀ ପ୍ରିୟା ଦାସୀକୁ ପଠାଇ ନିରନ୍ତର ମୋ ଖବର ବୁଝୁଥାଏ । ମୋ ନବୀନା ନ ଶୋଇ ମୋତେ ଚାହିଁଥିବ, ଲାଜରେ ହସି ଚାଲିଯାଉଥିବ- ଏ ସବୁ କଥା ମୋ ଚକ୍ଷୁ ଆଗରେ ନାଚୁଛି । ତା’ର ଚାରୁ ଅଙ୍ଗ, କବରୀ ସଜାଇ ମୋତେ ଦେଖାଇବା ଭଙ୍ଗୀ ମୋ ମନରୁ ଯାଉନାହିଁ । ମୋ ପ୍ରିୟାର ଛଇଲା ସ୍ନେହ ସୁରତ ଶେଷରେ ମଧ୍ୟ ଭୁଲି ହେଉନି । ମୋତେ ହୃଦୟରେ ଧୀରେ ଧୀରେ ବିଞ୍ଚିବାର ପାସୋର ଯାଉନାହିଁ ।

 

ଯିବା ବେଳେ ସେ ମୋ ପାଖକୁ ଆସେ । ଲେଉଟି ପଛକୁ ମୋତେ ଚାହିଁବାର ଦେଖାଯାଏ । ସେ ମୀନନେତ୍ରୀ ଯାହା ଦିଶଇ, ଝଲକିଲା ପରି ଦିଶେ । ତା’ ବକ୍ଷୋଜରୁ ଅମୃତ-ଝାଳ ବହିଯାଉଛି । ମୋ କପାଳରେ ତିଳକ ଲଗାଇଁ ପ୍ରିୟା ମୋର ରହି ରହି ଚୁମ୍ବନ ଦେଉଥାଏ । ଉନ୍ନତ ବକ୍ଷୋଜା ମୋର ପ୍ରିୟା ଗୁମାନରେ ମୋ ଆସିବା ପଥକୁ ଚାହିଁ ବସିଥାଏ । ମୋ ଶରୀରରେ ମିଶିଯିବାକୁ ଚାହିଁଥାଏ ।

 

ଠିଆ ହୋଇ ଅଗଣାରେ

ଠାରି କେଳିପୁରେ ପଶୁ ନାଗବଲ୍ଲୀ

ଚନ୍ଦନ ଧରି ଶ୍ରୀକରେ ।୧୨।

 

ଡାକିଲେ ଶୁକ ମୋ ନାମ

ଡମ୍ବରୁମଧ୍ୟା ତୋ ପ୍ରତି ପ୍ରତିକରେ

ଉଲ୍ଲସି ଉଠଇ ଲୋମ ।୧୩।

 

ଢାଳି ମୋ ହୃଦେ ଲପନ

ଢାଳେକ୍ଷଣି ଚୁମ୍ବ ଦେଇ ବୋଲୁ

କେବେ ବିଦେଶ ନଯିବ ଧନ ।୧୪।

 

ଅପରାଧ କଲେ ଯେତେ

ଅଜଣା ପରି ଜାଣି କୃପା ବାରିଧି

ବଞ୍ଚାଇ ନେଇଛୁ କେତେ ।୧୫।

 

ତନୁଦରି ପ୍ରେମ ଭୋଳେ

ତରକି ନପାରି ମୋ ରୂପ ଲେଖିଛୁ

ଭିତ୍ତି ଚିତ୍ରିବାର ବେଳେ ।୧୬।

 

ଥିଲେ କି ବ୍ରତ ଆଚରି

ଥାଳୀରେ ଭରି ସେ ପ୍ରସାଦ

ମୋଆଗେ ଉଭାହେଉ କରେଧରି ।୧୭।

 

ଦୂରୁ ଶୁଭିଲେ ମୋ ଗିର

ଦରଶନ ଯାଏ ବଣା ଏଣୀ ପରି

ହେଉଥାଉ ତର ତର ।୧୮।

 

ଧଇଲେ ଦିବସେ କର

ଧୀରେ କେତେ ଦୈନ୍ୟକରି

ଧନମୋତେ ହସି କରୁରେ ଜୁହାର ।୧୯।

 

ନ ଆସିଲେ ମୁଁ ଏଣିକି

ନବୀନା ଚିତ୍ରପଟରେ ଚାହିଁ

ନେତ୍ରୁ ବୁହାଇ ଦେଉ ପାଣିକି ।୨୦।

 

ପଲ୍ଲବଲଗା ପ୍ରସୂନ

ପୟୋଧର ପାହାଡ଼ରେ ରଖିଥାଉ

ମୋ ପାଇଁ କରି ଯତନ ।୨୧।

 

ଫୁଲବନ ସଦନରେ

ଫେଡ଼ି ପୋଥିପଢ଼ି ଲୁହ ପୋଛୁଥାଉ

ମୋ କ୍ଷଣିକ ବିଚ୍ଛେଦରେ ।୨୨।

 

ବେଣୀ ସାଜି ଦେବି ବୋଲୁ

ବିମ୍ବାଧରୀ ହସି ପାଶକୁ ଆସିଲେ

ପ୍ରଦୀପ ଲିଭାଇ ଦେଲୁ ।୨୩।

 

ଭାବାର୍ଥ- (୧୨-୨୩) ପ୍ରିୟା ମୋର ଅଗଣାରେ ଠିଆ ରହି କେଳିପୁରକୁ ଯିବା ଠାରିବ-। ମୁଁ ସେଠାକୁ ଗଲା ବେଳେ ହାତରେ ଚନ୍ଦନ ଧରିଥିବ । ଶୁଆପକ୍ଷୀ ମୋ ନାଁ ଧରି ଡାକିଲେ କ୍ଷୀଣାକଟୀର ଲୋମ ଉଲ୍ଲସି ଉଠିଥାଏ । ସେ ମୋ ହୃଦୟରେ ମୁହଁ ତା’ର ଢାଳି ଦେଇଥାଏ । ଚୁମ୍ବନ ଦେଇ କହେ, ଧନ, କେବେ ହେଲେ ବିଦେଶ ଯିବ ନାହିଁ । ଯେତେ ଅପରାଧ କଲେ ମଧ୍ୟ ସବୁ ଜାଣି ଅଜଣା ପରି ରହିଯାଅ ଓ ଦୟାସାଗର ପରି କେତେ ବଞ୍ଚାଇ ନେଇଛୁ । ପ୍ରେମ ଭୋଳରେ ତରଳି ନ ପାରି କାନ୍ଥରେ ଚିତ୍ର ଲେଖିବା ବେଳେ ମୋ ରୂପ ଲେଖିଛୁ ।

 

କି ବ୍ରତ ଆଚରଣ କରିଛୁ କେଜାଣି, ଥାଳୀରେ ପ୍ରସାଦ ଭରି ମୋ ଆଗରେ ତାକୁ ଧରି ଠିଆ ହୋଇଛୁ । ଦୂରରୁ ମୋ କଥା ଶୁଣିଲେ ଦର୍ଶନ ପାଇବା ଯାଏଁ ଅସ୍ତବ୍ୟସ୍ତ । ହୋଇପଡୁ । ବଣା ହରିଣୀ (ଏଣୀ) ପରି ତର ତର ହୋଇପଡୁ । ଦିନ ବେଳେ ତୋ ହାତ ଧରି ପକାଇଲେ, ଧୀର ସ୍ଥିର ହୋଇ କେତେ ଦୈନ୍ୟ ଭାବରେ ହସି ହସି ମୋତେ ଜୁହାର କରୁ ଏମିତି ନ କରିବାକୁ ।

 

ରେ ନବୀନା, ମୁଁ ତୋ ପାଖକୁ ନ ଆସିଲେ ମୋ ଚିତ୍ରପଟକୁ ଚାହିଁ ଆଖିରୁ ଲୁହ ଝରାଉଥାଉ । କଅଁଳିଆ ପତ୍ର ଲାଗିଥିବା ଫୁଲକୁ ତୁ ସର୍ବଦା ତୋ ପୟୋଧର ପାହାଡ଼ରେ । ମୋ ପାଇଁ ଯତ୍ନର ସହିତ ରଖିଥାଉଁ । ମୋର କ୍ଷଣିକ ବିଚ୍ଛେଦରେ ତୁ ଫୁଲବନ ଘରେ ରହି ମଧ୍ୟ ପୋଥିପଢ଼ି ସର୍ବଦା ଲୁହ ପୋଛୁଥାଉ । ରେ ବିମ୍ବାଧରି, ବେଣୀ ସଜାଇବାକୁ କହି ମୋ ପାଖକୁ ଆସୁ, ଅଥଚ ପାଖକୁ ଆସିଲେ ହସି ହସି ଦୀପଟାକୁ ଲିଭାଇ ଦେଉ ।

 

ଭରମାଙ୍ଗୀ ରତି ଶେଷେ

ଭିଡ଼ି ଦନ୍ତବାସ ପିନ୍ଧୁ ହାସ ବାସ

ପୂରିଥାଇ ଗଣ୍ଡଦେଶେ ।୨୪।

 

ମଲ୍ଲୀ କୁସୁମର ତଳୁ

ମଧୁପ ଚୁମ୍ବୁଥିଲାର ତୁ ଅନାଇ

ମୋ ନୟନ ବୁଜାଇଲୁ ।୨୫।

 

ଯତନେ ଶଯ୍ୟା ସଜାଡ଼ି

ଯିବାଯାଏ ମୁଁ ପଣନ୍ତରେ ପଲ୍ୟଙ୍କ

ତଳରେ ଥାଉ ପହୁଡ଼ି ।୨୬।

 

ରତି ସରସ ରଙ୍ଗରେ

ରାମାରାଣି ମୋ ଶାନ୍ତି ଜାଣି

ରୁହାଉ ଚିବୁକ ଧରି ଶ୍ରୀକରେ ।୨୭।

 

ଲଳନା ସ୍ୱପ୍ନେ କି ଚାହୁଁ

ଲୁହ ପୋଛି ପୋଛି ପଣନ୍ତ

ତିନ୍ତଇ ମୁଁ ପଚାରିଲେ ନ କହୁ ।୨୮।

 

ବାସବ ରତନ କେଶୀ

ବାହୁ ମୋ ମଥା ମୂଚଳି କରି

ଥାଉ ପାହି ଯିବା ଯାଏ ନିଶି ।୨୯।

 

ଶୀର୍ଣ୍ଣ ଦିଶୁଥିବ ପରା

ଶଙ୍କର ସେବାର ଫଳ ତୁ ମୋହରି

ବରାରୋହା ଅଗ୍ରଗିରା ।୩୦।

 

ଷୋଡ଼ଶ ବୟସୀ ରାମା

ଷଟପଦ ଅଳକିନୀ ଶୋଭା ତୋର

ଚାହିଁ ପ୍ରଶଂସିବେ ଉମା ।୩୧।

 

 

ସଜନୀରଜ ଲପନା

ସଜନୀ ଅଙ୍କରେ ପଡ଼ି କରୁଥିବ

ଯଦି କୁଶଳେ ବରତି ଥିବ ।୩୨।

 

ହରକୃପା ଦିଶିଯିବ

ହାଟକ ଅଙ୍ଗୀମୋ ଭେଟ ଯାଏ

ଯଦି କୁଶଳେ ବରତି ଥିବ ।୩୩।

 

କ୍ଷଣେ ନ କରି ଅଳସ

କ୍ଷିତିଭୁଷା ପାଶେ ମିଳିଲା

ଗୋପାଳକୃଷ୍ଣ ତେଜି ପରବାସ ।୩୪।

 

ଭାବାର୍ଥ - ( ୨୪-୩୪) ରେ ବିମ୍ବାଧରି, ରତି ଶେଷରେ, ଖସି ଯାଇଥିବା ବସ୍ତ୍ରକୁ ପିନ୍ଧୁଥାଉ । ତୋ ଗଣ୍ଡଦେଶରେ ହାସବାସ ପୂରି ରହିଥାଏ । ମଲ୍ଲୀଫୁଲର ତଳୁ ମହୁମାଛି ଚୁମ୍ବିଥିବା ତୁ ଦେଖି ମୋ ଆଖିକୁ ବୁଜାଇ ଦେଉ ।

 

ତୁ ଅତି ଯତ୍ନର ସହିତ ଶଯ୍ୟାକୁ ସଜାଡ଼ି ଦେଉ । ମୁଁ ସେଠାକୁ ଯିବା ଯାଏଁ, କାଳେ ସର୍ଯ୍ୟା ଅପରିଷ୍କାର ହୋଇଯିବ ଭାବି ତୁ ପଲଙ୍କ ତଳେ ପଣନ୍ତ କାନିରେ, ପହୁଡ଼ୁଥାଉ । ସରସ ରଙ୍ଗରେ ରତିକ୍ରୀଡ଼ା କରି ମୋତେ ଶାନ୍ତି ଦେଉଥାଉ । ହାତରେ ଚିବୁକ ଧରାଇଥାଉ । ସ୍ୱପ୍ନରେ କ’ଣ ଦେଲେ କାହାକୁ କିଛି ନ କହି କେବଳ କାନ୍ଦୁ । ଲୁହ ପୋଛି ପୋଛି ପଣନ୍ତକୁ ତିନ୍ତାଇ ଦେଉ । ମୁଁ କେତେ କରି ପଚାରିଲେ କିଛି କହୁନାହୁଁ । ରତ୍ନକେଶୀ ମୋ ବାହୁକୁ ମୁଚୁଳା କରି ରାତି ପାହିବା ଯାଏ ଶୋଇଥାଏ । ମୋତେ ଝୁରିଝୁରି ସେ ଏବେ ଶୀର୍ଣ୍ଣ ଦିଶୁଥିବ । ଶଙ୍କରଙ୍କୁ ସେବା କରିବାର ଫଳ । ସ୍ୱରୂପ ତୋ ଭଳି ସୁନ୍ଦରୀ କ୍ଷୀଣକଟୀକୁ ପାଇଛି ।

 

ରେ ଷୋଡ଼ଶବୟସୀ ରାମା, ଚୂର୍ଣ୍ଣକୁନ୍ତଳା (ଅଳକାନୀ) ତୋର ଅପରୂପ ଲାବଣ୍ୟ ଦେଖି ଉମା ପ୍ରଶଂସା କରିବେ । ରେ ଚନ୍ଦ୍ରମୁଖି, ଯଦି କୁଶଳରେ ସେ ବଞ୍ଚିଥିବ, ତାକୁ ମୁଁ ପାଇବି । ହରଙ୍କର ଯଦି କୃପାଥିବ, ତେବେ ମୋର ତା’ ସହିତ ଭେଟ ଯାଏଁ ସେ କୁଶଳରେ ବଞ୍ଚି ରହିଥିବ । କ୍ଷଣିକ ପାଇଁ ମଧ୍ୟ ଅଳସ ନ ହୋଇ ପୃଥିବୀ ମଣ୍ଡନା ପାଖରେ ପରବାସ ତେଜି ସେ ପ୍ରବେଶ କଲା-। କବି ଗୋପାଳକୃଷ୍ଣ ଏହା ଲେଖିଲେ ।

 

ବିଳାପ ଚଉତିଶା

 

(କବିଙ୍କର ଏଇ “ବିଳାପ’ ଚଉତିଶାର ରୂପ ନେଇ ରଚିତ । ବୈଷ୍ଣବମାନେ ଶ୍ରୀକୃଷ୍ଣଙ୍କ ଅପେକ୍ଷା ଶ୍ରୀରାଧାଙ୍କ ସେବା ଅଭିଳାଷୀ । ଏ ପରିପ୍ରେକ୍ଷୀରେ କବି ଗୋପାଳକୃଷ୍ଣ କୃଷ ଅପେକ୍ଷା ଶ୍ରୀରାଧାଙ୍କ ସେବକଗଣକୁ ବଡ଼ ବୋଲି ପ୍ରକାଶ କରିଛନ୍ତି । ଯେମିତି“ଏଡ଼େ ଭାଗ୍ୟ ମୋର ହେବକି, ହେବି ବୃନ୍ଦାବନେଶ୍ଵରୀ ସେବକୀ ? ରାଧା ସ୍ୱୟଂ ଲକ୍ଷ୍ମୀ ସ୍ୱରୂପିଣୀ । ତାଙ୍କର ପାଦ ଦର୍ଶନରେ ଯୁଗଯୁଗର ପାପ ଧୌତ ହୋଇଯାଏ । ରାଧାଙ୍କୁ ନ ଦେଖି ଗୋପୀମାନେ ତାଙ୍କର ରୂପ, ଗୁଣ ସ୍ମରଣ କରି ବିଳାପ କରିଛନ୍ତି । ସୁନ୍ଦର, ସରଳ ଭାଷା ଓଡ଼ିଆ ସାହିତ୍ୟ ଭଣ୍ଡାରର ଏକ ଉତ୍କୃଷ୍ଟ ଚଉତିଶା ।)

 

କୀର୍ତ୍ତିଦା ସୁତାଙ୍କ ରୂପ ଗୁଣ ।

କେ ସେ ଦାସୀ ଗୁଣି ପୁନଃପୁନଃ ।

କରଇ ବିଳାପ ରାସେଶ୍ୱରୀଙ୍କ ସେବା

ସୁଖ ନିକର କରି ସ୍ମରଣ ସେ । କିଙ୍କରୀ ।୧।

 

ଖଦ୍ୟୋତଜା ତଟ ନିକୁଞ୍ଜରେ ।

ଖଗ ନିନଦରୁ ନିଶାନ୍ତରେ ।

ଖଞ୍ଜନାକ୍ଷୀ ଆସୁ ଉଠି ପ୍ରିୟ ପାଶୁ

ଜଗିଥିବି ମୁଁ ଦ୍ୱାର ପାଶରେ ହେ । ସ୍ୱାମିନୀ ।୨।

 

ଗବାକ୍ଷ ଜାଳରେ ନେତ୍ର ଢାଳି ।

ଗଳି ଚାହୁଁ ଥିଲା ବେଳେ ଅଳୀ ।

ଗୋଷ୍ଠେନ୍ଦୁ ସହ ଚଳିଲେ ଦେହଳୀକି ।

ଯିବି ମୁଁ କେଳି ତଳପ ତୋଳି ହେ । ସ୍ୱାମିନୀ ।୩।

 

ଘର୍ମ ମିଶା ସିନ୍ଦୂର ଶ୍ରୀକର ।

ଘଞ୍ଚେ ଠାଁ ଠାଁ ହୋଇ ପଡ଼ିବାର ।

ଘୋଷିହେବି ଚିତ୍ତେ ଅଲକ୍ତ ଚିହ୍ନକୁ

ଚାହିଁ ଶେଯରେ ଶ୍ରୀପଦାବ୍‌ଜରେ ହେ । ସ୍ୱାମିନୀ ।୪।

 

ନିରେଖି ମୁଁ ଛିନ୍ନ ମୋତିହାର ।

ନେବି ଗୋଟିଆଇ ପଡ଼ିବାର ।

ନୂପୁର କାଞ୍ଚୀ କଞ୍ଚୂଲୀ ଝରୀ ଧରି

ହେବି ପୁର ପଥେ ଆଗୁସାର ହେ । ସ୍ୱାମିନୀ ।୫।

 

ଚାଲି ଆସୁଛି ଜଟିଳା ହେଟି ।

ଚଳ ସତ୍ୱର ବୋଲୁଁ କଖ୍‌ଖଟୀ ।

ଚଞ୍ଚଳେକ୍ଷଣୀ ଚଳୁ ମୁଁ ଚାଲି ଆଗେ

ଚାହୁଁଥିବି ପଛକୁ ପାଲଟି ହେ । ସ୍ୱାମିନୀ ।୬।

 

 

ଛ ଦଶ କଳା ଚନ୍ଦ୍ର ଲପନେ ।

ଛପି ପ୍ରବେଶୁଁ ବାସ ସଦନେ ।

ଛଦ ପ୍ରିୟଙ୍କର ଶ୍ରୀଅଙ୍ଗେ ବିଲୋକ

ମାଗି ଲୁଚାଇ ଦେବି ଯତନେ ହେ । ସ୍ୱାମିନୀ ।୭।

 

ଭାବାର୍ଥ - (୧-୭) କେଉଁ ଏକ ଗୋପୀ ରାଧାଙ୍କ ରୂପ, ଗୁଣ ବାରମ୍ବାର ବିଳାପ କରୁଛି-। ପୁଣି ରାସେଶ୍ୱରୀ ରାଧାଙ୍କ ସେବା ଜନିତ ସୁଖକୁ ମନେ ପକାଉଛି । ଖଦ୍ୟୋତଜା (ସୂର୍ଯ୍ୟଙ୍କ କନ୍ୟା) ଯମୁନା ତଟ ନିକୁଞ୍ଜରେ ରାତି ଶେଷ ବେଳକୁ ପକ୍ଷୀ ରାବ ଦେଲା । ପ୍ରିୟ ପାଖରୁ ଖଞ୍ଜନାକ୍ଷୀ ଉଠି ଆସିଲେ । ହେ ସ୍ୱାମିନି .ମୁଁ ସେତେବେଳେ ଦ୍ଵାର ପାଖରେ ମୁଁ ଜଗିଥିବି । ଝରକା ପାଖରେ ରହି ସଖୀ ଗଳି ଚାହୁଁଥିବା ବେଳେ ଗୋଷ୍ଠେନ୍ଦୁ ସହ ଦ୍ଵାରବନ୍ଧ ନିକଟକୁ ଚଳିଗଲେ । ହେ ସ୍ୱାମିନି, ମୁଁ ସେତେବେଳେ କେଳି ତଳାପ ତୋଳି ଯିବି । ଝାଳ ମିଶା ସିନ୍ଦୂର, ଶ୍ରୀକର୍ପୂର ଠାଏଁ ଠାଏଁ ପଡ଼ିବାର ଦେଖିବି । ମନ ମଧ୍ୟରେ ଅଳତା ଚିହ୍ନକୁ ଘୋଷି ହେବି । ଶେଯ ଉପରେ ଶ୍ରୀପାଦପଦ୍ମକୁ ସର୍ବଦା ନିରେଖୁଥିବି । ହେ ସ୍ଵାମିନି, ତୁମ କଣ୍ଠରୁ ଛିଣ୍ଡିଥିବା ମୋତିହାର ଗୋଟାଇ ନେବି । ନୂପୁର, କାଞ୍ଚିକାଞ୍ଚଲା ଝରୀ ଧରି ତୁମ ଯିବା ପଥରେ ଆଗରେ ଆଗରେ ଯିବି । ତୁମେ ଚାଲିଲା ବେଳେ ମୁଁ ଚଞ୍ଚଳ ହୋଇ ତୁମ ସହିତ ଚାଲିବ, ମୁଁ ତୁମ ଆଗେ ଆଗେ ଗଲେ ପଛକୁ ବାରମ୍ବାର ଚାହୁଁଥିବି । ହେ ସ୍ଵାମିନି, ଓ ମୁଖରେ ଚନ୍ଦ୍ରର ଷୋଳକଳା ପୂରିଛି । ଛପି ଛପି ତୁମ ବାସ ଘରେ ପ୍ରବେଶ କଲେ ପ୍ରିୟଙ୍କ ଶ୍ରୀଅଙ୍ଗ ଦେଖିବି ।

 

 

 

 

ଯାଇ ଶେଯେ ପହଡ଼ୁ ଭିତ୍ତିରେ ।

ଜମ୍ବୁ ନଦାଙ୍ଗୀ ଚିତ୍ରପଟରେ ।

ଜୀବନବନ୍ଧୁ ଛବିକି ଚାହୁଁ ଚାହୁଁ

ପୋଛିଦେବି ପଦ ପଣତରେ ହେ । ସ୍ୱାମିନୀ ।୮।

 

ଝୀନ ଉପରାଣ ପାହୁରାଇ ।

ଝସ ନୟନୀ ହେ ପହୁଡ଼ାଇ ।

ଝଳି ଅଳତା ରଞ୍ଜିତ ପଦ ଧରି

ଧୀରେ ଦେବି ଅଙ୍ଗୁଳି ଫୁଟାଇ ହେ। ସ୍ୱାମିନୀ ।୯।

 

ନିଃଶେଷରେ ନିଶି ହେଉ ହତ ।

ନିତ୍ୟକୃତ୍ୟର ବସ୍ତୁ ଯାବତ ।

ନିର୍ବାହ କରି ପୁଣି ଆସି ଭେଟୁ ମୁଁ

ଅପହୁଡ଼ ହୋଇ ଥିବନି ତୁ ହେ । ସ୍ୱାମିନୀ ।୧୦।

 

ଟାଣେ ଜଟିଳା ଡାକନ୍ତେ ଉଠି ।

ଟେକି ପଲକ ଦେଖି ବିମ୍ବୋଷ୍ଠୀ ।

ଟଳ ଟଳ ହୋଇ ଚାଲି ଯାଇ ପୀଠେ

ବସୁ ଦେବି ନୀର ଦାନ୍ତକାଠି ହେ ।୧୧।

 

 

ଠାକୁରାଣୀ ଦନ୍ତ ସମାର୍ଜନ ।

ଠିକେ ବଢ଼ୁ ବଢ଼ାଇବ ବନ ।

ଠବର୍ଣ୍ଣ ମୁଖ ସୁବର୍ଣ୍ଣାଙ୍ଗୀ ପ୍ରକ୍ଷାଳୁ

ପଛେ ଦେବି ପୋଛିବା ବସନ ହେ । ସ୍ୱାମିନୀ ।୧୨।

 

ଭାବାର୍ଥ - (୮-୧୨) ହେ ସ୍ଵାମିନି, ଶେଯରେ ତୁମେ ଯେତେବେଳେ ପହଡ଼ କରିବ, ସେତେବେଳେ ଜୀବନବନ୍ଧୁ ଛବିକି ଚାହୁଁ ଚାହୁଁ ପଣତକାନିରେ ତୁମ ପାଦକୁ ପୋଛି ଦେବି । ଝୀନ ଓଢ଼ଣି (ଉପରାଣ) ଘୋଡ଼େଇ ଦେବି । ହେ ମୀନନୟନି, ତୁମକୁ ପହୁଡ଼ାଇ ଦେବି । ତୁମ ଅଳତା ରଞ୍ଜିତ ପାଦ ଧରି ଧୀରେ ଧୀରେ ଅଙ୍ଗୁଳି ଫୁଟାଇ ଦେବି । ରାତି ଶେଷରେ ନିତ୍ୟକର୍ମ ପାଇଁ ଆବଶ୍ୟକ ବସ୍ତୁ ଯୋଗାଡ଼ କରି ମୁଁ ପୁଣି ତୁମ ପାଖକୁ ଆସିବି । ତୁମେ ଅପହୁଡ଼ ହୋଇଥିବ । ତୁମକୁ ଶେଯରୁ ଉଠାଇ ପ୍ରଥମେ ଦାନ୍ତକାଠି, ପାଣି ଦେବି । ହେ ସ୍ୱାମିନି, ତୁରନ୍ତ ଦନ୍ତ ମାର୍ଜନ କାର୍ଯ୍ୟ, ମୁଖ ପ୍ରକ୍ଷାଳନ ପରେ ଓ ସୁବର୍ଣ୍ଣ ଅଙ୍ଗ ଧୋଇବା ପରେ ମୁଁ ପୋଛିବା ବସନ ବଢ଼ାଇ ଦେବି-

 

ଡାକି ମଧ୍ୟା ବାହ୍ୟ କୃତ ସାରି ।

ଡାକୁ ମୋତେ ଆହା ଧୀରକରି ।

ଡାହାଣ ବାମ ପାଣି ପଦ ଧୋଇବି

ମୁଦ ଦେଇ ନିଉଡ଼ାଇ ବାରି ହେ । ସ୍ୱାମିନୀ ।୧୩।

 

 

 

ଢାଳୁଥିବେ ଡୋଳା ଉନ୍ମିଦ୍ରରୁ ।

ଢଳେକ୍ଷଣି ତୈଳ ସେବା କରୁ ।

ଢୋକିଲା ପରି ସୁଧା ଶୁଣି ମଣିବି

ବୋଲୁ ଆଣ ଯା ବାରି ରମ୍ଭୋରୁ ହେ । ସ୍ୱାମିନୀ ।୧୪।

 

ଅବ୍‌ଜ ଯୁକ୍ତ ସୁବାସିତ ନୀର ।

ଅଭିଷେକ କରୁ ମୁଁ ସତ୍ୱର ।

ଅତି ଯତ୍ନେ ଚୀନାଶୁଂକେ ଶ୍ରୀଲଳିତା

ମାଜି ପୋଛିବେ ଶ୍ରୀକଳେବର ହେ । ସ୍ୱାମିନୀ ।୧୫।

 

ତୁଲ୍ୟ ବାଲ୍ୟାରୁଣ ଦ୍ୟୁତି ଲଙ୍ଗି ।

ତନୁବାରି ହୋଇ ଆଡ଼େ ଲାଗି ।

ତତ୍କାଳ କଜ୍ୱଳ କାନ୍ତି ଚୀନ ଚେଳ

ପିନ୍ଧି ଚଳିବ କଳଧୌତାଙ୍ଗୀ ହେ । ସ୍ୱାମିନୀ ୧୬।

 

ଥିର ହୋଇ ବସୁ ଆସନରେ ।

ଥାଇ ଲଳିତା ପଛ କତିରେ ।

ଥୋଇ ଟଙ୍କାରି କଙ୍କତିକା କୁନ୍ତଳ

ଫେଡ଼ୁ ବେଢ଼ିବେ ଅଳି ନିକର ହେ । ସ୍ୱାମିନୀ ।୧୭।

 

 

ଦେବି ଘଉଡ଼ି ଢାଳି ଚାମର ।

ଦିବ୍ୟମଣି ସ୍ତବକ ନିକର ।

ଦେଇ ଶ୍ୟାମଳ ବେଣୀ ବ୍ୟାଳ ସାଜିବେ

ହରିବାକୁ ଧୈର୍ଯ୍ୟ ବ୍ରଜେନ୍ଦ୍ରର ହେ । ସ୍ୱାମିନୀ ।୧୮।

 

ଧରିଥିବି ମୁଁ ଘୃସୃଣ ପାତ୍ରେ ।

ଧନ୍ୟ ବିଶାଖା ଲେପି ଶ୍ରୀଗାତ୍ରେ ।

ଧୀରେ ଭକ୍ତି ଛେଦ କର ମୃଗମଦ

ଚିତ୍ର ଲିହିବେ ଉରଜ ଗାତ୍ରେ ହେ । ସ୍ୱାମିନୀ ।୧୯।

 

ନିଟିଳରେ ସିନ୍ଦୂର ବିନ୍ଦୁକୁ ।

ନିଯୋଜୁ ଭାବୁଥିବ ମନକୁ ।

ନିକୁଞ୍ଜବିହାରୀ ନୟନର କାମ-

ତମ ନାଶିବ ବୋଲି କ୍ଷଣକୁ ହେ । ସ୍ୱାମିନୀ ।୨୦।

 

ଭାବାର୍ଥ- (୧୩-୨୦) ହେ ସ୍ୱାମିନ, ବାହ୍ୟ କୃତ ସାରି ଧୀର କରି ମୋତେ ଡାକିବ । ତୁମ ହାତପାଦ ଧୋଇଦେବି । ଜଳରେ ମୁଦ ଦେଇ ନିଉଡାରେ ଦେବି । ରାତ୍ରିରେ ଅନିଦ୍ରା ରହିଥିବା ଯୋଗୁଁ ଢୁଳାଉଥିବ । ମୁଁ ତୁମର ତୈଳ ସେବା କରିବି । ହେ ସ୍ୱାମିନ, ପାଣି ଆଣବୋଲି କହିଲେ, ତାକୁ ଶୁଣି ଅମୃତ ଢୋକିଲା ପରି ମନେ କରିବି । ପଦ୍ମଯୁକ୍ତ ସୁବାସିତ ଜଳରେ ମୁଁ ତୁରନ୍ତ ଅଭିଷେକ କରିବି । ଅତି ଯତ୍ନରେ କାଇଁଚରେ ଶ୍ରୀଲଳିତା ତୁମର ଶ୍ରୀଅଙ୍ଗ ମାଜି ପୋଛିବେ । ବାଲ୍ୟାରୁଣ ତୁଲ୍ୟ ଶ୍ରୀଅଙ୍ଗର ତେଜ ତୁମର । କଜ୍ଜଳ କାନ୍ତିପୂର୍ଣ୍ଣ ବସନ ପିନ୍ଧି ତୁମେ ଚଳିବ । ହେ ସ୍ଵାମିନ, ଆସନରେ ସ୍ଥିର ହୋଇ ବସିଲେ, ତୁମ ପଛ ପାଖରେ ଲଳିତା ରହି ତୁମର କୁଞ୍ଚୁକୁଞ୍ଚିଆ (କୁନ୍ତଳ) କେଶକୁ ପାନିଆ (କଙ୍କତିକା)ରେ କୁଣ୍ଡାଇ ଦେବ । ସେ ସୁନ୍ଦର କେଶ ଚାରିପାଖରେ ଭ୍ରମରଗଣ ବେଢ଼ିଯିବେ ।

 

ହେ ସ୍ଵାମିନି, ଚାମର ଢାଳି, ଫୁଲରେ ସଜେଇ ବ୍ରଜେନ୍ଦ୍ରର ଧୈର୍ଯ୍ୟ ହରିବାକୁ ଶ୍ୟାମଳ ବେଣୀ-ସର୍ପ (ବ୍ୟାଳ) ସାଜିବ । ହେ ସ୍ଵାମିନି, ମୁଁ ଉତ୍ତମ ପାତ୍ରରେ କସ୍ତୁରୀ ଧରି ତୁମ ଶରୀରରେ ଲେପି ଦେବି । ତୁମ ବକ୍ଷୋଜ ଓ ଗାତ୍ରରେ ଚିତ୍ର ଲେଖିଦେବି । "କପାଳରେ ସନ୍ଦୂର ବିନ୍ଦୁକୁ ଲଗାଇ ମନରେ ଭାବୁଥିବ, ନିକୁଞ୍ଜବିହାରୀଙ୍କ ଚକ୍ଷୁ କାମ ରୂପକ ଅନ୍ଧକାରକୁ ବିନାଶ କରିବ ।

 

ପଦ୍ମପତ୍ରାଗ୍ରସ୍ଥିତ ଭ୍ରମର ।

ପରି ଦିଶିବ କେଡ଼େ ସୁନ୍ଦର ।

ପରମାନନ୍ଦ ସ୍ୱରୂପିଣୀ ଚିବୁକେ ।

ବିନ୍ଦୁ ନିଯୋଜୁ ମୃଗମଦର ହେ ସ୍ୱାମିନୀ ।୨୧।

 

ଫୁଲ ନର୍ମଦା ଆଣି ଦେବାର ।

ଫେଡ଼ି ପିନ୍ଧାଇ ଦେବି ସତ୍ୱର ।

ଫଳିଉଠିବ ମୋ ତନୁ ସୀମାନ୍ତରେ

ଲେଖୁ ଲଳିତା ସିନ୍ଦୂର ଗାର ହେ ସ୍ୱାମିନୀ ।୨୨।

 

 

 

ବ୍ରଜବଧୂ ସୁଖୀ ହେବା ପାଇଁ ।

ବକ୍ଷୋଜକୁ ରଖିବ ଲୁଚାଇ ।

ବିଚିତ୍ର କାଞ୍ଚୁଲୀ ନାନା ହାରାବଳି

ଦେବି ଯତନେ ଲାଗି କରାଇ ହେ । ସ୍ୱାମିନୀ ।୨୩।

 

ଭରସାଇବ ମୋତେ ସେବାରେ ।

ଭୟ ତେଜି ଅଞ୍ଜନ ନେତ୍ରରେ

ଭରମାଙ୍ଗି ଦେବି କରି ଦରଶନ

ବ୍ରଜବଧୂ ହେବେ ମୋ ପରି ହେ । ସ୍ୱାମିନୀ ।୨୪।

 

ମଣି ରତ୍ନାଳଙ୍କାର ଯାବତ ।

ମଥାଯାଏ ପଦରୁ ତ୍ୱରିତ ।

ମଣି କଉସ୍ତୁଭ ମିତ୍ର ସୁମନ୍ତକ

ମଣି କଲ୍ଲଦେବି ଅଳଂକୃତ ହେ । ସ୍ୱାମିନୀ ।୨୫।

 

ଯେଉଁ ଚରଣକଞ୍ଜର ଧୂଳି ।

ଯୁବାବର ହୋଇବାର ବୋଳି ।

ଯତ୍ନେ ଲେଖିଦେବି ଲାକ୍ଷା କି ସେ ପଦେ

ଯାର ରକ୍ତାମ୍ବୁଜ ନିଉଛାଳି ହେ । ସ୍ୱାମିନୀ ।୨୬।

 

 

ଋଣ ସହ ମଧୁବ୍ରତ ମେଳା ।

ମରଣୀୟ ବିଚକିଳମାଳା ।

ରମଣୀ ମୁକୁଟମଣି କଣ୍ଠେ ଦେବି

ଆନେ ନ ଢଳୁ ପ୍ରାଣେଶ ଡୋଳା ହେ । ସ୍ୱାମିନୀ ।୨୭।

 

ଲୀଳା କମଳ ଘେନି ଶ୍ରୀକରେ ।

ଲଳିତାଙ୍ଗୀ ଗୃହ ବାଟିକାରେ ।

ଲଳିତା ସଙ୍ଗେ ଦ୍ୟୁମଣିମଣି ବେଦି

ମଧ୍ୟେ ବିଜେ କରିବ ସତ୍ୱରେ ହେ । ସ୍ୱାମିନୀ ।୨୮।

 

ଭାବାର୍ଥ - (୨୧-୨୮) ହେ ସ୍ଵାମିନ, ପଦ୍ମପତ୍ରର ଅଗ୍ରଭାଗରେ ବସିଥିବା ଭ୍ରମର ପରି ତୁମେ କେଡ଼େ ସୁନ୍ଦର ଦେଖାଯିବ । ତୁମ ବୁକରେ କସ୍ତୁରୀ ବିନ୍ଦୁ ଲଗାଇବି । ଫୁଲ ଆଣି ତୁମ ମସ୍ତକରେ ଶୀଘ୍ର ପିନ୍ଧାଇ ଦେବି । ତୁମ ତନୁରେ ଲଳିତା ସିନ୍ଦୁରଗାର ଲେଖି ଦେଉ । ତୁମେ ବ୍ରଜବଧୂ । ନିଜକୁ ସୁଖୀ କରିବା ପାଇଁ ଅର୍ଥାତ୍ ମର୍ଯ୍ୟାଦା ରଖିବା ପାଇଁ ବକ୍ଷୋଜକୁ ଲୁଚାଇ ରଖ । ବିଚିତ୍ର କାଞ୍ଚୁଲୀ, ନାନା ପ୍ରକାର ହାର ଆଣି ସେଥିରେ ମୁଁ ତୁମକୁ ଯତ୍ନର ସହ ସଜାଇ ଦେବି ।

 

ହେ ସ୍ଵାମିନୀ, ଭୟ ତେଜି ଅଞ୍ଜନ ନେତ୍ରରେ ତୁମର ସେବା କରିବି । ମୋ ପରି ବ୍ରଜବଧୂ ହୋଇପାରିବେ । ମଥାରୁ ପାଦଯାଏ ମଣି, ରତ୍ନାଳଙ୍କାର ପ୍ରଭୃତିରେ ମଣ୍ଡିଦେବି । କଉସ୍ତୁଭ ମଣିରେ ତୁମକୁ ଅଳଙ୍କୃତ କରିବି । ଯେଉଁ ପାଦର ଧୂଳି ଯୁବାଶ୍ରେଷ୍ଠ ବୋଳି ହୁଅନ୍ତି, ସେଇ ପାଦରେ ଯତ୍ନରେ ଲାକ୍ଷାର ଚିତ୍ର ଆଙ୍କି ଦେବିକି ? ହେ ସ୍ଵାମିନି, ତୁମେ ରମଣୀ ମୁକୁଟମଣି, ତୁମର କଣ୍ଠରେ ଫୁଲମାଳା ଲମ୍ବାଇ ଦେବି । ହେ ସ୍ଵାମିନି, ଶ୍ରୀହସ୍ତରେ ପଦ୍ମ ଧରି ଗୃହ ବାଟିକାରେ ଲଳିତା ସଙ୍ଗେ ରହି ମଧ୍ୟରେ ଶୀଘ୍ର ବିଜେ କରିବ ।

 

ବିକର୍ତ୍ତନ ଆରାଧନା ସାରି ।

ବାସେ ବାସ୍ତୁକୃତ୍ୟ କରି କରି ।

ବିଲୋକୁ କୁନ୍ଦଲତା ଆସି ଡାକିବେ

ଜଟିଳାଙ୍କୁ ସମାଧାନ କରି ହେ । ସ୍ୱାମିନୀ ।୨୯।

 

ସବୁ ସୁଖୀ ସଦନକୁ ଯାଇ ।

ସାଉକାର ଶାଶୂଙ୍କୁ କରାଇ ।

ସତ୍ୱର ସେ କୁନ୍ଦବଲ୍ଲୀ ତୁମ୍ଭ ପାଶେ

ଗୋଷ୍ଠୀ କରିବେ ଅଳୀଙ୍କି ନେଇ ହେ ।୩୦।

 

ସହୀ ଆସିବାକୁ ନାହିଁ ତର ।

ସବୁ କୃତ୍ୟ ଅଛି ସଦନର ।

ଶୁଣି ଜଟିଳା ବୋଲିବେ ଯାଅ ପୌର୍ଣ୍ଣମାସୀ

କହିଛନ୍ତି ବାରମ୍ବାର ହେ । ସ୍ୱାମିନୀ ।୩୧।

 

ସର୍ବ ସଖୀସଙ୍ଗେ ବିଜେକରୁ ।

ସୁଦୟାରେ ମୋତେ ଶିରେ ଠାରୁଁ ।

 

 

ସଂବ୍ୟାନ ପ୍ରାଣେଶ୍ୱରଙ୍କ ଧରିଯିବି

ରୂପମଞ୍ଜରୀଙ୍କ ଆଦେଶରୁ ହେ । ସ୍ୱାମିନୀ ।୩୨।

 

ହର୍ଷେ ମଣ୍ଡି ଯାଉ ରାଜପଥ ।

ହୋଇ ଭେଟ ଗୋଷ୍ଠେ ପ୍ରାଣନାଥ ।

ହସି ଚାହିଁଥିବେ ସେ ବ୍ରଜେଶ୍ୱରୀଙ୍କି

ପ୍ରାଣମିତ ହୋଇ ହେଟମାଥ ହେ । ସ୍ୱାମିନୀ ।୩୩।

 

କ୍ଷମାକର ମୁଖକୁ ଅନାଇ ।

କ୍ଷୀରୋଦଧି ପ୍ରାଏ ରାଜ୍ଞୀ ହୋଇ ।

କ୍ଷଣେ କୋଳକରି ଶିରେ ଚୁମ୍ବ ଦେଉ

ଗୋପାଳକୃଷ୍ଣାଂଘ୍ରିଂ ଦେବ ଧୋଇ ହେ । ସ୍ୱାମିନୀ ।୩୪।

 

ଭାବାର୍ଥ - (୨୯-୩୪) ହେ ସ୍ଵାମିନି, ସୂର୍ଯ୍ୟ (ବିକନ)ଙ୍କ ଆରାଧନା ସାରିବା ଗରେ କାମଦାମ କରି କରି କୁନ୍ଦଲତା ଆସି ଡାକିବେ । ଜଟିଳକୁ ସମାଧାନ କରିବେ । ସମସ୍ତ ସଖୀ ଘରକୁ ଯାଇ ତୁମ ଶାଶୂଙ୍କୁ ରାଜି କରାଇବେ । ଶୀଘ୍ର ସେ ଜାଈଫୁଲ ଲତା ତୁମ ପାଖରେ ଏକାଠି କରିବେ । ଆସିବାକୁ ତର ନାହିଁ । ସବୁ କାମ ଘରେ ପଡ଼ିରହିଛି । ଏହା ଶୁଣି କହିବେ, ପୌର୍ଣ୍ଣମାସୀ ଯାଅ, ବାରମ୍ବାର କହିଛନ୍ତି । ହେ ସ୍ୱାମିନି, ସବୁ ସଖୀକୁ ନେଇ ବିଜେ କରିବ । ମୋତେ ସୁଦୟା କରିବ । ରୂପମଞ୍ଜରୀଙ୍କ ଆଦେଶକୁ ପାଳନ କରି ପ୍ରାଣେଶ୍ଵରଙ୍କ ସଂବ୍ୟାନ (ବସ୍ତ୍ର) ଧରିଯିବି । ହେ ସ୍ଵାମିନି, ହର୍ଷ ମନରେ ପଥରେ ଗଲା ବେଳେ ଗୋଷ୍ଠରେ ପ୍ରାଣନାଥଙ୍କ ସହ ଭେଟ ହେବ । ସେ ବ୍ରଜେଶ୍ଵରୀଙ୍କୁ ହସି ଚାହିଁଥିବେ । ହେ ସ୍ୱାମିନି, ମୋ ମୁଖକୁ ଚାହିଁ କ୍ଷପା (ରାତ୍ରି) କର, କ୍ଷୀର ସମୁଦ୍ର ପ୍ରାୟ ରାଣୀ ହୋଇ କ୍ଷଣେ କୋଳକରି ମୁଖରେ ଚୁମ୍ବନ ଦେବ । ଗୋପାଳକୃଷ୍ଣର ସବୁ ଦୁଃଖ ଧୋଇ ହୋଇଯିବ ।